ରାଜଶ୍ରୀ ମହାପାତ୍ରଙ୍କ ଦ୍ୱାରା ଓଡିଆ ଭାଷାରେ ରଚିତ କବିତା

 
ରାଜଶ୍ରୀ ମହାପାତ୍ରଙ୍କ ଦ୍ୱାରା ଓଡିଆ ଭାଷାରେ ରଚିତ କବିତା
 
 
କମଳଦେଶର ରାଜକୁମାର …
 
ସମୟ ସମୁଦ୍ର ପରି
ନିଏ ସବୁ, ପୁଣି ଫେରେଇଦିଏ ତା’ରି ତଟକୁ ,
ଧୋଇଦିଏ ଶଙ୍ଖ ପେଟର ଅନ୍ଧାରକୁ ,
ଢେଉରେ ଚମକି ଉଠେ ଚନ୍ଦ୍ରାଲୋକ
 
ଦେହର ସିନା ବିସର୍ଜନ , ହେଲେ ସ୍ୱରର ???
ସୁର ଅପଗାର ସ୍ରୋତ ପରି ସ୍ୱର ମଧ୍ୟ ଅହରହ …
ଅବାରିତ ଭିଜାଏ ସାରା ନକ୍ଷତ୍ରଲୋକ
ସବୁ ରାତିରେ ସେ ଉଏଁ ପୂର୍ଣ୍ଣଚନ୍ଦ୍ର ପରି ,
 
ଅଶ୍ରୁସିନ୍ଧୁର ବିକ୍ଷୁବ୍ଧ ଛାତିରେ ବିଞ୍ଚି ହୁଏ ଜ୍ୟୋତ୍ସ୍ନା ପରି ,
ସୁଲୁସୁଲିଆ ପବନରେ ଗୋଳିହୋଇଯାଏ ଚନ୍ଦନ ପରି
ପୁଷ୍ପଧନୁ ଫୁଟାଏ ପାରିଜାତ
ମହକି ଉଠେ ମନ … ଉପବନ…ନନ୍ଦନବନ
ପୁରୁରବାଙ୍କୁ ନିଅଣ୍ଟ ପଡେ ଉର୍ବଶୀଙ୍କ ପ୍ରେମ
ମେଘକୁ ଦୁଃଖ କହେ ପ୍ରେମିକ ଯକ୍ଷ
 
ପଦ୍ମପତ୍ରରେ ସ୍ଥିର ହୁଏନି ବିନ୍ଦୁଏ ଜଳ
କବି ତଥାପି ଶୁଆଇ ଦିଏ ତାରାମାନଙ୍କୁ
ଭୋର୍ ହେବା ଆଗରୁ , ଅନ୍ଧାରକୁ ଧୋଇଦିଏ ରାତିର ଦେହରୁ ,
ଚାହିଁ ରହେ , କେବେ ଓହ୍ଲଇବେ କମଳ ଦେଶର ରାଜକୁମାର
ଲୁହ ଛିଞ୍ଚି ଛିଞ୍ଚି ଶବ୍ଦମାନଙ୍କୁ ସ୍ୱରରେ ଗୁନ୍ଥିବାକୁ …
 
 
ତୁମେ ଫେରିବା ଯାଏଁ …
 
ବ୍ୟସ୍ତଥିଲେ ସେ ମୂହୁର୍ତ୍ତମାନେ
ଶବ୍ଦମାନେ ବୋଧେ ତୁମ ସହିତ ଥିଲେ
ଆଉ ତୁମେ ନ ଥିଲ ସେତେବେଳେ
ମୋ ପାଖେ …
 
ହ୍ରଦ ଉପର ଆକାଶରେ
ସୂର୍ଯ୍ୟ ସହିତ ଥିଲା ପକ୍ଷୀଟିଏ
ଅଟକି ଯାଇଥିଲା ପବନ ତା ଛାତିରେ
କେମିତି ବିତିଗଲା ଏ ସମୟ ,ମୁଁ କି ଜାଣେ
କିନ୍ତୁ ଫେରିଗଲା ବେଳେ
ସେ ଆଙ୍କିଦେଇ ଗଲା ଜଳଛବିଟିଏ
 
ତୁମେ ଫେରିବା ପରେ …
ପୁଣି ଆଗ ଭଳି ଫୁଟିଲେଣି ଶବ୍ଦମାନେ
ତାରାଫୁଲଙ୍କ ସାଙ୍ଗରେ ,ଆମ ଅଗଣାରେ
ଅନିଦ୍ରା ଥିଲେ ସମସ୍ତେ ଏ ଯାଏଁ
ତୁମେ ନଥିବା ବେଳେ…
 
 
ମହାଦୀପ
 
ନିଜେ ଜଳିଲେ ଦେଖିହୁଏ ନକ୍ଷତ୍ରଲୋକ
ଛୁଇଁହୁଏ ଛାତି ଭିତର ଆଲୁଅ
ଯିଏ ନିଜେ ଜଳିନି କେବେବି ,
ସେ ହଜିଯାଏ ଲମ୍ବା ବାଟରେ
ନହେଲେ ତା’ର କେଉଁ ଏକ ଚଉଛକିରେ
 
କାଲି ରାତିରେ ଉଜାଗର ଥିଲା ଅନ୍ଧାର
ସେ ସାକ୍ଷୀ ଥିଲା
ଯିଏ ଜଳୁଥିଲା ସେ ଥିଲା ଗୋଟେ ଜାଗର
ସ୍ୱପ୍ନେଶ୍ୱରଙ୍କ ଅଗଣାରେ
ସଜେଇଥିଲା ଠାକୁରଙ୍କୁ ଓଠ ରଙ୍ଗର ଗୋଲାପରେ
 
ତୁମେ ତ ଦେଖିଥିବ ତାକୁ ଜଳିବାର ସାରାରାତି
ଏଇତ ,ଏତେପରେ ମୁଁ ବି ବୁଝୁଛି
ଏମିତି କାହିଁକି ଜାଳେ ଜଣେ ନିଜକୁ
କ’ଣ ତମାଚ୍ଛନ୍ନ ଆତ୍ମୀୟତାର ଆଲୋକ ଟିକକ ପାଇବାକୁ !
 
 
ଏଥର ତ ଆସ …
 
ଆକାଶରେ ଜଳି ଜଳି
ଲିଭି ସାରିଲେଣି କେତେ ସୂର୍ଯ୍ୟ , ଚନ୍ଦ୍ର
ଆଲୁଅରେ ଦେଖି ସାରିଲେଣି କେତେ ଆଦିମ ଅରଣ୍ୟ
ଏବେ ସେମାନେ ବି ନିଥର
 
ଧନ୍ୟ ଏ ଅନ୍ଧାର !
ତୁମ ପରି ଅବିଚଳ , ଅବ୍ୟକ୍ତ , ଅନନ୍ତ
ତୁମେ କଣ କମ୍ ରହସ୍ୟମୟ !
କେତେ ଗୋପନୀୟ , କିଏ ବା ଜାଣିବ !
 
ତୁମ ଗଢିବାପଣରେ କେତେ ଧ୍ବଂସର ତାଣ୍ଡବ
ତୁମ ଆଙ୍କିବାବେଳରେ ମୁଁ ନୃତ୍ୟରତ
ତୁମ ପାଇଁ ଝଟକୁଥାଉ ମୋ ଘରର ପାଟବ
ସ୍ୱର୍ଗ ନୁହେଁ, ସ୍ନେହ କାଣିଚାଏ ପାଇଁ ଏଥର ତ ଆସିବ ନିଶ୍ଚୟ …
 
 
ଶବ୍ଦ ସନ୍ଧି
 
ଯୁଦ୍ଧ !!!
 
ଏବେ କେବଳ ସନ୍ଧି ହିଁ ଏକମାତ୍ର ସମ୍ଭାବନା
ସେମାନେ ଗଣିଲେ
ଉଭୟଙ୍କ ପାଖରେ ଥିଲା
ସମାନ ସଂଖ୍ୟକ କ୍ଷେପଣାସ୍ତ୍ର
ଶକ୍ତିଶାଳୀ ଶବ୍ଦ
 
ଶବ୍ଦ ଯେତିକି
ତା’ଠୁ ଅଧିକ ଦୁର୍ବୋଧ୍ଯ ତା’ ବ୍ୟାକରଣ
ତଥାପି କ’ଣ ହୋଇପାରିଲା ଶାନ୍ତି ସମ୍ଭବ ?
 
ଶବ୍ଦାସ୍ତ୍ର ଖୁବ୍ ଅନ୍ତର୍ଭେଦୀ
ଉଭୟ ଭୁକ୍ତଭୋଗୀ
ଜଣେ ସହଜରେ ଅଗ୍ନି ପରୀକ୍ଷାରେ ଉତ୍ତୀର୍ଣ୍ଣ
ହେଲେ ଆର ଜଣକ … ?
 
ଏମାନେ ବି ଭାଗ ଭାଗ
କିଏ ଜାତି ସୂଚକ ତ
କାହା ଦେହରେ ଧର୍ମର ମୋହର
ମୁଁ ମାତ୍ର ଶବ୍ଦମାନଙ୍କ କଥା ଭାବୁଛି …
 
ଜଟିଳ ଦାଗ ମଧ୍ଯ ଛାଡି ଯାଇପାରେ
ଶବ୍ଦ ଲିଭେଇବା କଥା ଭୁଲିଯାଅ
ଜୁଆର ଇଙ୍ଗିତ କଲା ପଥୁରିଆ ଚଟ୍ଟାଣକୁ …
 
Copyright@Rajashree Mohapatra
Bhubaneswar, Odisha, India

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s