ରାଜଶ୍ରୀ ମହାପାତ୍ରଙ୍କ ଦ୍ୱାରା ଓଡିଆ ଭାଷାରେ ରଚିତ କବିତା
ଅତିକ୍ରମଣ
ଆକାଶେ ଅନ୍ଧାରକୁ
ନିଜ ଛାତିଉପରେ ଥୁଏ ଛାୟାପଥ
ହାତ ବଢାଏ ଆଉଁସି ଦେବାକୁ
କହେ,ମାପନା ଆଉ
ଗଉଣି ଗଉଣି ଦୁଃଖରେ ଭର୍ତ୍ତି ହେଇନି ତମର ଅମାର
ଅଥୟ ହୁଅନା,ହତାଶ ହୁଅନା ,
ଦୋଷ ଦିଅନା କପାଳକୁ,ସେଠି ନାହଁ କେହି କୃର ।
ଅସ୍ତ ଯାଆନ୍ତି ନାହିଁ କେବେ ଗ୍ରହମାନେ
ପ୍ରାରବ୍ଧ ବୋଲି କିଛି ଲେଖା ନାହିଁ
ଅନ୍ତରୀକ୍ଷର ଅଭିଧାନରେ ,
କେହି ଫିଟେଇ ପାରିନାହାନ୍ତି
ପାପପୁଣ୍ୟର ଊର୍ଣ୍ଣା ଆଜିଯାଏ ,
ସବୁ ଅଛି ନିଜ ପାଖରେ,
ଦେହ ଭିତରେ ମଣିମୟ ଦୀପରୁଖାରେ ପରମାୟୁ ଜଳୁଛି,
ଟିକେ ତେଜି ଦିଅ
ଧପ୍ କରି ଜଳିଉଠିବ ଜୀବନ
ଏତେ ଟିକେ ଆଲୁଅରେ ଦେଖିହୁଏ ପରା
ନିଜ ଭିତରର ସାରା ସଂସାର …
ନଈ ଓ ତରୀ
ଯଦି …
ତୁମେ ବହିପାରିବ ନଈଟିଏ ହୋଇ
ମୋରି ପାଇଁ
କଥା ଦେଲି
ତରୀଟିଏ ହେବି ଖାଲି ତୁମ ପାଇଁ
ସତକୁ ସତ ଦିନେ ବହିଲା ସେଠି ଗୋଟେ ନଈ
ଉଜାଣି, ତା ପ୍ରେମକୁ ବଖାଣି
କେତେ ଗଭୀର ହେଲା ସେ ତା ପ୍ରେମ ପାଇଁ
କେହି ଜାଣନ୍ତିନି
ମୁଁ ବି ଜାଣିନି,
ତରୀ ନିଜ କଥା ରଖିଲା କି ନାଇଁ
ଏବେ ଠିଆ ହୋଇଛି ସେଠି ଖୁବ୍ ଉଚ୍ଚ ଗୋଟେ ବନ୍ଧ
ଆକାଶକୁ ଛୁଇଁ , ନଦୀର ଛାତିକୁ ଚିରି
ସେଠି ଶୁଭେ କେବେ କେବେ ଚାପାକାନ୍ଦ
ଗତିରୋଧର ଦୀର୍ଘ ନିଃଶ୍ୱାସ
ବନ୍ଧର ଏପଟେ …
ବନ୍ଧା ପଡିଛି ଅଧାଲେଖା କବିତାର ଧାଡି
କୂଳରେ ଘୁମେଇ ପଡିଛି ତରୀ
ଆବୋରି ପାରୁନି ଜହ୍ନରାତି
ବାଲିଶେଯରେ ଲେଖା ସରିଛି କୋହମିଶା
ଲୁହର ଗୋଟେ କାହାଣୀ
ସେ କାହାଣୀ ଦୁଇଟି ଦେହର…
ଯେଉଁମାନେ ବଞ୍ଚିଛନ୍ତି
ପ୍ରେମର ଆଲୁଅରେ ସାରା ଜୀବନ
ସେମାନେ କୁହନ୍ତି ,ଅନ୍ଧାରରେ ହିଁ ଆମ ପ୍ରେମ ଉଜ୍ବଳ …
*This poem ‘Rakta- Ashtama Ranga’ is based on a message received from a land under military operation.
ରକ୍ତ – ଅଷ୍ଟମ ରଙ୍ଗ
ପ୍ରେମର ରଙ୍ଗ କଅଣ ???
ତୁମେ ମୋଠୁ କେତେ ଦୂରରେ???
ପଚାରିଥିଲ ନା ତୁମେ , ସେ ଦିନ ?
ମୁଁ ପାରିହେଉଛି ଯେଉଁ ପଥ,
ଜାଣିନି କେଉଁଠି ତା’ର ଅନ୍ତ,
ଦୁର୍ଗମ ତ ନିଶ୍ଚୟ ,
କହିପାରିବ?
ଏ ଯୁଦ୍ଧର ରାସ୍ତା ବି କଣ ପ୍ରେମର , ନା ଶାନ୍ତିର ?
ହିସାବ ନାହିଁ ମୋ ପାଖରେ ଅବଶେଷ ଆୟୁଷର
ତଥାପି ଯଦି କେବେ ଭେଟହେବ,
ହୁଏତ ବୁଝେଇ ଦେଇପାରିବି,
କଣ ଖୋଜୁଥିଲ ମୋ’ଠି ତୁମେ
ତୁମ ପ୍ରଶ୍ନର ଉତ୍ତରରେ …
ଦେଶପ୍ରେମରେ ମୁଁ ଆକ୍ରାନ୍ତ
ମୋ ଦେହସାରା ରକ୍ତ,କେତେ ଯେ ରକ୍ତ ବହିଛି ମୋ ଦେହରୁ,
ଅବା କାହାର ବୁହେଇଛି ମୁଁ,ତାହା ବି ଅଜଣା ମୋତେ
ତାକୁ କିନ୍ତୁ ବୋଳିହୋଇ ସାରିଛନ୍ତି
ଆକାଶ, ଅଗ୍ନି,ବାୟୁ ,ପାଣି ଓ ପୃଥିବୀ
କହିବ ଦେଖି,ସେମାନେ କ’ଣ ନୁହଁନ୍ତି ସମସ୍ତେ ପ୍ରେମିକ
ଯେମିତି ମୁଁ ?
ଫେବୃଆରୀର ତୃତୀୟ ସପ୍ତାହର ସୋମବାର
ସେ ଦିନର ତୁମ ପ୍ରିୟ କବିତା ଥିଲା
ମୋ ହସ୍ତାକ୍ଷରରେ
ବୋଧହୁଏ ତା’ ଥିଲା ମୋର ଶେଷ କବିତା, ତୁମ ପାଇଁ
ତା’ପରେ କିନ୍ତୁ ଆଉ ଆସିନାହାଁନ୍ତି ସେମାନେ
ସତରେ କ୍ଷତାକ୍ତ ଅଙ୍ଗୁଳିମାନେ ବି କେତେ ଅସହାୟ ହୃଦୟ ପାଖରେ?
ମୁଁ ରହେ କି ନ ରହେ, ଆମ ପ୍ରେମ କିନ୍ତୁ ବଞ୍ଚିରହିବ
କାହାର ନା କାହାର ଧମନୀରେ ବହୁଥିବ
ବହୁଥିବ ହୃଦୟରେ ପ୍ରେମ ଥିବାଯାଏ
ଜୀବନର ଶେଷ ରଙ୍ଗ ସେ , ସ୍ୱର୍ଗର ସାତ ରଙ୍ଗପରେ ସେ ଆସେ
ଅନାବିଳ ପ୍ରେମର ରଙ୍ଗ ଏଇଆ ବୋଧେ
ଖୋଜୁଥିଲ ତୁମ ଉତ୍ତରରେ…
କୃଷ୍ଣାବେଣୀ
ନାଗରା ବଜେଇ ଫେରିଗଲେଣି ସେମାନେ
ଚିହ୍ନା ପଡୁନାହାନ୍ତି ପଟୁଆରରେ ଥିଲେ କେଉଁ ନକ୍ଷତ୍ରମାନେ
ହେ ମହାଭାଗ !
ଜାଣିପାରିଲେକି ଆପଣ,ଅନ୍ଧପଟଳର ରହସ୍ୟ !
ନିଜ ହୃଦୟ ରୁ ଆଉ ଗୋଟେ ହୃଦୟ ଯାଏ ଲମ୍ବିଥିଲା ତା’ର ଗତି
ଦିନେ ଜହ୍ନଝରା ପାହାଡ଼ ଛାତିରୁ ଝରିଥିଲା ଯେଉଁ କୃଷ୍ନାବେଣୀ,
ସେ ଏବେ କେଉଠି ?
ସବୁ ଜୀବନରେଖା ଛୁଇଁ ପାରନ୍ତିନି ମଣିବନ୍ଧ
ଛୁଇଁ ପାରିଲାନି କୃଷ୍ଣାବେଣୀ ଏ ଯାଏଁ କୃଷ୍ନସାଗର
ଘୋର କୁହୁଡ଼ି ଅନ୍ତରାଳେ ତଟରେ ବନ୍ଧା ପ୍ରେମ ତାଙ୍କର
ହେ ମହାଭାଗ, ବିଚାର କରନ୍ତୁ ଏଥର …
ମୁହାଣ
ବାଲିବନ୍ଧ ଆରପଟୁ
ରହି ରହି ଶୁଭୁଛି ଯେଉଁ ଅପାର୍ଥିବ ଗୀତ
କାହାର ହେଇପାରେ ଏ ଅନାହତ ସ୍ୱର ?
ଏ କ’ଣ ମହୋଦଧି ତୀର !
ଥମ୍ କରି ବସିଗଲା ନଈ ,
ଟାଣିନେଉଛି ତାକୁ କିଏ ତାର ହାତ ଧରି
ଘୁଁ ଘୁଁ ଶବ୍ଦ କରି କିଏ ପୁଣି ଭିଡି ଧରୁଛି
ଖୁବ୍ ଗଭୀର ଗର୍ତ୍ତ ,ସାରା ଦେହ ଖେଳୁଛି ଭଉଁରୀ
ମହାକାଶରେ ତାରାପୁଞ୍ଜଙ୍କ ରୋଶଣି
ଓଃ, ଇଏ କି ବିଭ୍ରାଟ !
ତରଳି ଝରିପଡୁଛି ଆକାଶ,ଥମିଯାଉଛି ପବନ ,
ଗୁମୁରୀ ଉଠୁଛନ୍ତି ତଳ ଅତଳ ଭୂତଳ
ଖସି ପଡୁଛନ୍ତି ଖଣ୍ଡ ଖଣ୍ଡ ପିଣ୍ଡ
ସଂଘାତ ର ସ୍ବର ନେଇ ଜୁଆର ଉଠିଲା ଛାତି ଫୁଲେଇ ,
ଫେଣ ଛାଟି ମନ୍ଥିହେଲା ପାଣି ,
ଆକାଶ ଛୁଇଁଲା ଲହଡି
ବାରି ହେଉ ନ ଥିଲା କିଏ ସାଗର କିଏ ନଈ
ମୁହାଁଣ ଲେଖୁଥିଲା ଏ ମହାଜାଗତିକ କାହାଣୀ …
All rights reserved@Rajashree Mohapatra
Bhubaneswar, Odisha, India.