Poems in Odia Language by Rajashree Mohapatra

 
Poems in Odia Language by Rajashree Mohapatra
 
 
ଆଲୁଅରେ ଯାଅ
 
ବଡବଡୁଆ ହୋ !
ଆଲୁଅରେ ଯାଅ !
ଡାକ ଶୁଭିଲାଣି
ତୁମେ ଏବେ ଫେରିଯିବ ପୂର୍ବଜଙ୍କ ସାଥେ
ସପ୍ତ ଋଷି ଦେବତା ମେଳରେ
ସମୟ ହେଲାଣି
 
ହାଣ୍ଡିଶାଳର ଅନ୍ଧାର ଆଗଭଳି ଅଛି
ତୁମଠୁ ଶିଖିଥିଲି ମା !
ସେଠି ଦୀପଟିଏ ଜାଳି ତୁମ ସ୍ନେହକୁ ଝୁରିଛି
ଫୁଲ ଆଉ ଢାଳେ ପାଣି ଥୋଇ
ସେଥିରେ ମୁହଁକୁ ଆଙ୍କିଛି
ଡାକିଦେଲ ଭାବି ପାଦ ବି
କେତେଥର ଅଟକି ଯାଇଛି ।
 
ପଥର ପଥର ଟପି ଚାଲିବାଟା ଜମା କଷ୍ଟ ନୁହେଁ ! କହିଥିଲ ତୁମେ,ମୋର ମନେଅଛି
କେତେଥର ଝୁଣ୍ଟିଆ ମୋ ପଥକୁ ଝୁଣ୍ଟିଥିଲା ବେଳେ
ମା ! ତୁମ ହାତ ମତେ ସମ୍ଭାଳି ନେଇଛି
 
ଏବେ ଫେରିଯିବ ତୁମେ
ଏକ ଆଲୋକ ପଥରେ
ତୁମ ପୂର୍ବଜଙ୍କ ସାଥେ
ଋଷି ଦେବଙ୍କ ମେଳରେ
କାଉଁରୀର ଆଲୁଅରେ
 
ଆକାଶଦୀପରେ ଲୁହକୁ ଜାଳିଛି
ଆକାଶକୁ ଆଲୁଅରେ ସଜେଇବା ପାଇଁ
ବଡବଡୁଆଙ୍କ ପାଇଁ ।
 
 
 
 
ll ହେ ଶିଳ୍ପୀ II
 
ରାଜଶ୍ରୀ ମହାପାତ୍ର
 
କୁହ ଶିଳ୍ପୀ !
କିପରି ଆକାର ଦେବ
ମାଆକୁ ମୋହର !
କେମିତି ସଜେଇବ ! କି ରୂପ ଦେବ !
 
ମାଆ ବୋଲି ଡାକି ଦେଲେ
ରକ୍ତଜବା ଅଧରରେ ହସଟେ
ଉକୁଟି ଉଠିବ
ଧାର ଧାର ଅମୃତ ମୋ ଶୋଷକୁ ପିଇବ
ମୋ ଲୁହରେ ରେ ମା’ ଭିଜୁ ଥିବ ,
ଆଶିଷ ବି ଢାଳୁଥିବ
ତ୍ରିଚକ୍ଷୁ କପାଟରେ
ଝରଝର କରୁଣା ଝରିବ !
 
ଏବେ କରୋନାର ଅସରା ଉଆଁସ ,
ଦୁଃଖ ତ ବତୁରିଛି ଲୁହରେ ଆମର ।
ଛାତି ଆମ ପାତାଳକୁ ଛୁଉଁଥିବା
କୋହ ଭର୍ତ୍ତି ଅନ୍ଧାର ଗହ୍ୱର ।
 
ଛଳନା ନ କରି ଏବେ
ହୃଦୟକୁ ତରଳାଅ ଶିଳ୍ପୀ !
ବହି ଗଲେ ଝର ପରି ,
ମା’ ମୋର ଆସିବ ଓହ୍ଲାଇ
ତେବେ ସିନା ଏମିତିକା ତେଜୋମୟୀ
ମାଆଟିକୁ ତୁମେ
ମେଢ ଖଟୁଲୀରେ ପାରିବ ସଜେଇ
ସନ୍ତାନର ଭାବ ନେଇ !!!
 
 
 
ଦୁଃଖ
 
ସମୁଦ୍ର ତଳୁ ଉଠି ଆକାଶ ଛୁଇଁଛି
ରାଶି ରାଶି ଦୁଃଖ
ସତେ କି ଗୌରୀଶଙ୍କର ଶୃଙ୍ଗ !
ତା ତଳେ ଚାପି ନିଶ୍ୱାସ
ନେଉଛି ଦେହଟେ
 
ଅଣ୍ଟା ପିଠି ଲାଗି ଯାଇଛି
ଭୂଇଁରେ ଧୀରେ ଧୀରେ ଲମ୍ବି ଯାଉଛି
ଠିକ୍ ଅନ୍ଧାର ଆସିବା ଆଗରୁ ଯେମିତି
ଲମ୍ବା ହୋଇଯାଆନ୍ତି ସମସ୍ତଙ୍କ ଛାଇ
 
ଖୁବ୍ କଷ୍ଟ ଏ ବୋଝ ଦୁଃଖର
ମତେ ସେଥିରୁ କିଛି ଦେଇଦିଅ
ଅନ୍ଧାର ଆସିବା ଆଗରୁ
ଆଉ ଟିକେ ଅଣ୍ଟା ସଳଖେଇ ନିଅ
ଶୁଣ !
ମୁଁ ତୁମକୁ ଭଲପାଏ କେତେ !
ପିଇନେବି
ଓଠ ଯେମିତି ପିଏ ସବୁତକ ଲୁହ
 
ଆରେ ! କେହି କ’ଣ ନେଇପାରେ !
କିଏ ଆଡେଇ ପାରିଛି
ଏ ଯାଏ ନିଜ ହାତରେ !
ସବୁ ମୁଣ୍ଡେଇ ଆଗେଇବାକୁ ହୁଏ
ଯେମିତି ମୁଁ •••
ପଛରୁ କିଏ ଉପହାସ କରେ
ପାଖରେ ଯିଏ ,
ତାକୁ କ’ଣ ଭରସା କରିହୁଏ
ଆଗକୁ ଜଣାନାହିଁ •••
କିନ୍ତୁ ଆଦରିବାକୁ ହୁଏ
 
ଆଲୁଅ ଖୋଜୁ ଖୋଜୁ
ପରମାୟୁ କିନ୍ତୁ ଜଳିଯାଏ
ଅନ୍ଧାରରେ ଯାହା ଜୀବନ ବଞ୍ଚି ଥାଏ
କିଏ ଜାଣେ କାହାକୁ କ’ଣ ମିଳେ !
 
Copyright@Rajashree Mohapatra
Bhubaneswar , India

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s